‘ହନୁମାନ’ ପରେ ଫିମେଲ୍‌ ସୁପର୍‌ହିରୋ ‘ମହାକାଲୀ’, ବଢିଲା ଫ୍ୟାନ୍ସଙ୍କ ଉତ୍ସାହ

Published By : Prameya-News7 Bureau | October 11, 2024 IST

ମୁମ୍ଵାଇ ୧୧।୧୦; ଚଳିତ ବର୍ଷ ମୁକ୍ତିପ୍ରାପ୍ତ ପାନ୍‌ ଇଣ୍ଡିଆ ଫିଲ୍ମ ‘ହନୁମାନ’ ବକ୍ସ ଅଫିସ୍‌ରେ ବଡ଼ ଧମାକା କରିଥିଲା । କାହାଣୀ ଓ ସୀମିତ ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ଭିଏଫ୍‌ଏକ୍ସ ଦମ୍‌ରେ ଆଶାତୀତ ବ୍ୟବସାୟ କରିଥିଲା । ୪୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇ ବିଶ୍ୱସ୍ତରରେ ୨୯୫ କୋଟିରୁ ଅଧିକ ଆୟ କରିଥିଲା । ହିନ୍ଦୀ ସଂସ୍କରଣରେ ଏହାର ୫୦ କୋଟିରୁ ଅଧିକ ନେଟ୍‌ କଲେକ୍ସନ୍‌ ହୋଇଥିଲା । ଏବେ ‘ହନୁମାନ’ର ନିର୍ମାତା ଭାରତର ପ୍ରଥମ ମହିଳା ସୁପର୍‌ହିରୋ ଫିଲ୍ମ ଘୋଷଣା କରଛନ୍ତି । ନାଁ ‘ମହାକାଲୀ’ । ଏହାର ଝଲକ୍‌ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ାଇ ଦେଇଛି।

‘ହନୁମାନ’ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ପୂର୍ବରୁ ଘୋଷଣା କରିଥିଲେ ଯେ ସେ ଭାରତୀୟ ପୁରାଣ ଉପରେ ଆଧାରିତ ଏକ ନୂଆ ଫିଲ୍ମ ୟୁନିଭର୍ସ ଗଢ଼ିବାକୁ ଯାଉଛନ୍ତି, ଯାହାର ନାଁ ପ୍ରଶାନ୍ତ ବର୍ମା ସିନେମାଟିକ୍‌ ୟୁନିଭର୍ସ । ‘ମହାକାଲୀ’ ଏହି ୟୁନିଭର୍ସର ଏକ ନୂଆ ସୁପର୍‌ହିରୋ ଚରିତ୍ର ଓ କାହାଣୀ ସହିତ ଆସିଛି, ଯାହାର ପ୍ରଥମ ଝଲକ୍‌ ଦମ୍‌ଦାର ହୋଇଛି । ନିର୍ମାତା ଦୁର୍ଗା ସପ୍ତମୀ ଅବସରରେ ଏହି ଫିଲ୍ମ ଘୋଷଣା କରିଛନ୍ତି, ଯାହାର ମୁଖ୍ୟ ଚରିତ୍ର ମା କାଳୀଙ୍କ ଦ୍ୱାରା ପ୍ରେରିତ । ‘ମହାକାଲୀ’ ଘୋଷଣା ଭିଡିଓରେ ଦମ୍‌ଦାର ଥିମ୍‌ ମ୍ୟୁଜିକ୍‌ ରହିଛି । ଏଥିରେ ନୂଆ ସୁପର୍‌ହିରୋ 

ଚରିତ୍ର ବିଷୟରେ ଉଲ୍ଲେଖ ହୋଇଛି ‘ସେ ଶାନ୍ତି ବି ସେ ଅରାଜକତା ବି । ସେ ନିଃଶବ୍ଦ ବି ସେ ଗର୍ଜନ ବି । ସୃଜନ ବି ଏବଂ ବିନାଶ ବି... ମହାକାଲୀ।’ ଭିଡିଓ ଶେଷରେ ଏକ ପୋଷ୍ଟର୍‌ ଦେଖିବାକୁ ମିଳିଛି । ଏଥିରେ ଜଣେ ଝିଅ ବାଘର ମୁଣ୍ଡରେ ନିଜ ମୁଣ୍ଡକୁ ଲଗାଇଛି । ଫିଲ୍ମର କାହାଣୀ ପଶ୍ଚିମବଙ୍ଗ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ପ୍ରଶାନ୍ତ ଏହାର କାହାଣୀ ଓ ପଟ୍ଟକଥା ଲେଖିଛନ୍ତି । ନିର୍ଦ୍ଦେଶନା ଦେବେ ଅପର୍ଣ୍ଣା କୋଲ୍ଲୁରୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.